ନୂଆଦିଲ୍ଲୀ ୩/୧୨: ଗ୍ରାହକଙ୍କ ପାଇଁ ନୂଆ ବର୍ଷରୁ ବ୍ୟାଙ୍କିଂ ସେବା ମହଙ୍ଗା ହେବାକୁ ଯାଉଛି । ୧ ଜାନୁୟାରୀରୁ ଏଟିଏମରୁ ପଇସା ବାହାର କରିବା ଶୁଳ୍କ ଦେବାକୁ ପଡିବ । ରିଜର୍ଭ ବ୍ୟାଙ୍କ ଜୁନ ମାସରୁ ବ୍ୟାଙ୍କକୁ ନିଶୁଳ୍କ ସୀମା ପରେ ଶୁଳ୍କ ବଢାଇବାକୁ ଅନୁମତି ଦେଇଥିଲା ଯାହା ନୂଆ ବର୍ଷରୁ ଲାଗୁ ହେବ ।
ଆରବିଆଇ ଅନୁସାରେ ପ୍ରତି ବ୍ୟାଙ୍କ ନିଜ ଗ୍ରାହକଙ୍କୁ ନଗଦ ରାଶି ବା ଅନ୍ୟ ଆର୍ଥିକ ସେବା ପାଇଁ ପ୍ରତି ମାସରେ ନିଶୁଳ୍କ ସୀମା ନିର୍ଦ୍ଧାରିତ କରିଥାଏ । ସେବାର ଏହାଠୁ ଅଧିକ ବ୍ୟବହାର କଲେ ବ୍ୟାଙ୍କ ଶୁଳ୍କ ଆଦାୟ କରିଥାଏ ।
ରିଜର୍ଭ ବ୍ୟାଙ୍କ କହିଥିଲା ଯେ ଅଧିକ ଇଣ୍ଟରଚେଞ୍ଜ ଶୁଳ୍କ ଓ ଖର୍ଚ୍ଚ ବଢିବା ଯୋଗୁଁ ବ୍ୟାଙ୍କକୁ ଏଟିଏମରୁ ଧନ ଉଠାଣ ଶୁଳ୍କ ବଢାଇବାର ଅନୁମତି ଦିଆଯାଏ । ଏବେ ଆକ୍ସିସ୍, ଏଚଡିଏଫସି ସହିତ ଅନ୍ୟ ସରକାରୀ ଓ ପ୍ରାଇଭେଟ୍ ବ୍ୟାଙ୍କରୁ ଧନ ଉଠାଣ ଉପରେ ଅଧିକ ଶୁଳ୍କ ପୈଠ କରିବାକୁ ପଡିବ ।
ପ୍ରତି ମାସରେ ୮ ମାଗଣା ନେଣଦେଣ
ବ୍ୟାଙ୍କ ଏବେ ଗ୍ରାହକଙ୍କୁ ପ୍ରତି ମାସରେ ୮ ମାଗଣା ନେଣଦେଣ ରିହାତି ଦେଉଛି । ଏଥିରେ ଆର୍ଥିକ ଏବଂ ଅଣ ଆର୍ଥିକ ଉଭୟ ପ୍ରକାର ନେଣଦେଣ ସାମିଲ । ଯେଉଁ ବ୍ୟାଙ୍କରେ ଗ୍ରାହକଙ୍କ ଖାତା ଅଛି ତାର ଏଟିଏମରେ ପ୍ରତି ମାସରେ ୫ ମାଗଣା ନେଣଦେଣ ମିଳିଥାଏ । ଏହା ବ୍ୟତୀତ ମେଟ୍ରୋ ସହରର ଅନ୍ୟ ବ୍ୟାଙ୍କର ଏଟିଏମରୁ ୩ ଏବଂ ଅଣ ମେଟ୍ରୋ ସହରରେ ଅନ୍ୟ ବ୍ୟାଙ୍କର ଏଟିଏମରୁ ୫ ମାଗଣା ନେଣଦେଣ ମଧ୍ୟ କରିପାରିବେ । ଏବେ ଏଟିଏମରୁ ପ୍ରତି ଉଠାଣ ୨୦ ଟଙ୍କା ଲାଗିଥାଏ । ଏହାକୁ ଜାନୁୟାରୀରେ ବଢାଇ ୨୧ ଟଙ୍କା କରିଦିଆଯିବ । ଏଥିରେ ସେବା ରୂପେ ଜିଏସଟି ମଧ୍ୟ ଦେବାକୁ ହେବ ।
ବର୍ଦ୍ଧିତ ଇଣ୍ଟରଚେଞ୍ଜ ଶୁଳ୍କ ଅଗଷ୍ଟରୁ ଲାଗୁ
ରିଜର୍ଭ ବ୍ୟାଙ୍କ, ବ୍ୟାଙ୍କ ମାନଙ୍କ ମଧ୍ୟରେ ଏଟିଏମରେ ଲାଗୁଥିବା ଇଣ୍ଟରଚେଞ୍ଜ ଶୁଳ୍କର ବର୍ଦ୍ଧିତ ଦର ଅଗଷ୍ଟରୁ ଲାଗୁ କରିଦେଇଛି । ବ୍ୟାଙ୍କକୁ ପ୍ରତି ନେଣଦେଣ ପାଇଁ ଇଣ୍ଟରଚେଞ୍ଜ ଶୁଳ୍କ ୧୫ ଟଙ୍କା ବଦଳରେ ଏଣିକି ୧୭ ଟଙ୍କା ଦେବାକୁ ପଡିବ । ଏହି ଶୁଳ୍କ ସମସ୍ତ ଆର୍ଥିକ ନେଣଦେଣ ଉପରେ ଲାଗୁ ହେବ । ଯଦିଓ ଅଣ ଆର୍ଥିକ ନେଣଦେଣ ପାଇଁ ଇଣ୍ଟରଚେଞ୍ଜ ଶୁଳ୍କ ୬ ଟଙ୍କା ହୋଇଯାଇଛି, ପୂର୍ବରୁ ଏହା ୫ ଟଙ୍କା ଥିଲା ।
ଇଣ୍ଟରଚେଞ୍ଜ ଶୁଳ୍କର ଅର୍ଥ ଏହା ଯେ ଗୋଟିଏ ବ୍ୟାଙ୍କ ନିଜ ଗ୍ରାହକଙ୍କୁ ଅନ୍ୟ ବ୍ୟାଙ୍କର ଏଟିଏମ ବ୍ୟବହାର କରିବାର ସୁବିଧା ଦେଇଥାଏ ଯେଉଁଥିପାଇଁ ତାକୁ ସମ୍ବନ୍ଧିତ ଏଟିଏମ ଥିବା ବ୍ୟାଙ୍କକୁ ଶୁଳ୍କ ଦେବାକୁ ପଡିଥାଏ । ବ୍ୟାଙ୍କ ଏହି ଶୁଳ୍କର ଭରଣା ନିଜ ଗ୍ରାହକଙ୍କଠୁ କରିଥାଏ ।
Please do not enter any spam link in the comment box